କେମିତି ଭୁଲିବି

DramaFamilyParenting
Aug 01, 2026
Listen to storyNarrated by VITI
LightDark
0:00 / 0:00
Read this story in
Odia

ଏକ ଅଭାବନୀୟ ପରିସ୍ଥିତି। ସରସ୍ୱତୀ ଶିଶୁ ମନ୍ଦିର ପରିସର ମଧ୍ୟରେ ଏକ ନାଟକୀୟ ଦୃଶ୍ୟ। ତୃତୀୟ ଶ୍ରେଣୀରେ ଅଧ୍ୟୟନରତ ଏକ ଛୋଟ ଝିଅର ଦୁଇଟି ବାପା ଠିଆ ହୋଇଛନ୍ତି ଝିଅକୁ ନେବା ପାଇଁ। ନିଷ୍ପାପ ଶିଶୁଟି ଉଭୟଙ୍କୁ ବାପା ବୋଲି ସ୍ୱୀକାର କରୁଛି, କିନ୍ତୁ କିଏ ନନ୍ଦ, କିଏ ବସୁଦେବ ଭୂମିକାରେ ଅଛନ୍ତି, ତାହା ସେହି ଦରୋଟି କଥା କୁହା କଣ୍ଢେଇଟି ଜାଣିନାହିଁ। ଜଣେ ବାପା, ଅନ୍ୟ ବାପାକୁ କହୁଥିଲେ, "ଆଉ ଝିଅ କଥା ଭୁଲି ଯାଆନ୍ତୁ।" ଉତ୍ତରରେ ଅନ୍ୟ ବାପା କହୁଥିଲେ, "କେମିତି ଭୁଲିବି।"

କାହାଣୀ ସତ, କିନ୍ତୁ କାହାଣୀ ପଛରେ ବାତ୍ସଲ୍ୟ ସ୍ନେହର ସତ୍ୟତା ଲୁଚି ରହିଛି। ଶିଶୁ ମନ୍ଦିରର ପ୍ରତ୍ୟେକ ଗୁରୁଜୀ, ଗୁରୁମାଙ୍କ ଆଖି କୋଣରେ ଲୁହ ଝରି ପଡୁଛି। ସେମାନେ ସେ ପର୍ଯ୍ୟନ୍ତ ଜାଣିନଥିଲେ ଯେ ନନ୍ଦ ଭୂମିକାରେ ରହି ଝିଅ ପ୍ରତି ଏତେ ଆତ୍ମୀୟତା ଭାବ! ନନ୍ଦ ବାବା ଭୂମିକାରେ ଥିବା ମହାଶୟଙ୍କୁ ଶିଶୁ ମନ୍ଦିରର ସଭିଏଁ ପ୍ରକୃତ ଜନ୍ମଦାତା ବୋଲି ଭାବି ନେଇଥିଲେ, କିନ୍ତୁ ଆଜି ତାହା ଭୁଲ୍ ବୋଲି ପ୍ରମାଣିତ କରିବାକୁ ବସୁଦେବ ବାପା ଉପସ୍ଥିତ ଅଛନ୍ତି। ଛୋଟ ଝିଅଟି କଇଁ କଇଁ ହୋଇ କାନ୍ଦି ଚାଲିଛି। ନନ୍ଦ ବାବାଙ୍କର ହାତ ଛାଡ଼ିବାକୁ ନାରାଜ।

କ୍ରମେ କାହାଣୀର ଦ୍ୱିତୀୟ ଦୃଶ୍ୟ। ଶିଶୁ ମନ୍ଦିରର ପ୍ରଧାନ ଗୁରୁଜୀ ଆସି ନନ୍ଦ ବାବାଙ୍କୁ ଗୋଟିଏ କୋଠରୀ ଭିତରେ ଆସନ ଦେଇ ସତ କଥା ଶୁଣିବାକୁ ଜିଜ୍ଞାସା। ଜୀବନ୍ତ ସତ୍ୟ ଘଟଣା କ୍ରମେ ନନ୍ଦ ବାବାଙ୍କ ମୁଖରେ:

"ଯେଉଁ ଘରେ ଭଡ଼ାରେ ରହୁଥିଲୁ, ପଡ଼ୋଶୀ ଦମ୍ପତିଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ବି ଥିଲେ। ଆମର ପୁଅ ଝିଅ ହେବାର ଥିଲା, କିନ୍ତୁ କୌଣସି କାରଣରୁ ସଫଳ ହେଉନଥିଲା। ସାନ ପିଲାଙ୍କୁ ଦେଖିଲେ ଆମକୁ ଖୁସି ହେବା ସ୍ୱାଭାବିକ। ପଡ଼ୋଶୀ ହିସାବରେ ସମ୍ପର୍କ ବି ଭଲ ଥିଲା। ଏ ଭିତରେ ତାଙ୍କର ଆଉ ଗୋଟିଏ ଝିଅ ବି ହେଲା। ଏକୋଇଶି ଦିନ ପରେ ପିଲାଟିକୁ ଆମ ଘରେ ରଖି କହିଲେ, "ଏ ପିଲା ତୁମର ହେଲା।"

ଆମେ କିଛି ନ କହି ଖୁସି ହେଲୁ। ଦିନଯାକ ଆମ ଘରେ ରହି ରାତି ହେଲେ ତାଙ୍କ ଘର। ଦୁଇ ଘର ଭିତରେ ଆହୁରି ସମ୍ପର୍କ ଘନୀଭୂତ ହେଲା। ଝିଅକୁ କ୍ରମେ ପାଞ୍ଚ ବର୍ଷ। ଏଇ ପାଞ୍ଚ ବର୍ଷ ଭିତରେ ବି ଆମର ପିଲା ନ ହେବାରୁ ଆନ୍ତରିକତା ଆହୁରି ବଢ଼ି ଚାଲିଲା। ଝିଅର ନାମକରଣ ବି ଆମ ପସନ୍ଦରେ ରଖା ଯାଇଥିଲା: ସୁକନ୍ୟା।

ସୁକନ୍ୟାର ସ୍କୁଲ୍ ଯିବା ବୟସ। ସରସ୍ୱତୀ ଶିଶୁ ମନ୍ଦିରରେ ନାମ ବି ଲେଖା ହେଲା। ସୁକନ୍ୟାର ଜନ୍ମଦାତା ବାପା ପରିବର୍ତ୍ତେ ଆମର ନାମକୁ ବାପା ମା' ହିସାବରେ ସ୍କୁଲରେ ଦର୍ଶାଇ ଦିଆଗଲା। ସମ୍ପର୍କ ଆହୁରି ଘନୀଭୂତ ହେବାକୁ ଲାଗିଲା। ନିଜ ଗାଁକୁ ଗଲେ ବି ଆମେ ସୁକନ୍ୟାକୁ ସାଥିରେ ନେଉଥିଲୁ। ଆମ ନିଜ ଘର ଲୋକ ଆଗରେ ସୁକନ୍ୟା ଆମର ନିଜ ଝିଅ ବୋଲି କହୁଥିଲୁ। ଆମ ଘର ଲୋକେ ଆମ ଖୁସିରେ ଖୁସି ବି ଥିଲେ। ନିଜର ପିଲା କିଏ, ପର ପିଲା କିଏ। ଜନ୍ମ କରିଲେ ବା ଅନ୍ୟର ପିଲାକୁ ଛାତିରେ ଲଗେଇ ସ୍ନେହ ଦେଲେ ହେଲା। ସୁକନ୍ୟା ବି କହୁଥିଲା, ମୋର ଦୁଇଟି ବାପା, ଦୁଇଟି ମା'।

କ୍ରମେ ରହୁଥିବା ଘର ଠାରୁ ଦୂରରେ ରହିବା ପାଇଁ ପରିସ୍ଥିତି ବାଧ୍ୟ କରିଥିଲା। ସେତିକି ବେଳେ ସୁକନ୍ୟାକୁ ଛାଡ଼ିବେ ନାହିଁ ବୋଲି ତା' ବାପାମାଆ ସିଧା କହି ରଖିଲେ। ବହୁତ ଅନୁରୋଧ ବି କଲୁ। ତେଣେ ସୁକନ୍ୟା ବି କାନ୍ଦୁଥାଏ। ଆମେ ବାହାରକୁ ନ କାନ୍ଦିବାର ଜଣା ଯାଉଥିଲୁ, କିନ୍ତୁ ହୃଦୟ ଆମର ଲୁହରେ ବୁଡ଼ି ଯାଇଥିଲା। ଦୁଇ ଘରର ଝିଅ ଏବେ ଆଉ ଆମ ଘରେ ରହିବ ନାହିଁ। କେବଳ ଗୋଟିଏ ଘରେ। ତା' ନିଜ ଘରେ।"

ଲୁହ ଭିଜା ଆଖିରେ କହୁଥିଲେ ନନ୍ଦ ବାବା, ଶୁଣୁଥିଲେ ପ୍ରଧାନ ଗୁରୁଜୀ। ପରବର୍ତ୍ତୀ ଦୃଶ୍ୟ ଆପଣଙ୍କ ସମ୍ମୁଖରେ।

ସୁକନ୍ୟା ଭୋ ଭୋ ହୋଇ କାନ୍ଦୁଛି। ସ୍କୁଲ୍ର ଶିକ୍ଷକମାନେ ଜାଣି ପାରିଲେ ସୁକନ୍ୟାର ଜନ୍ମଦାତା ଓ ପାଳିତ ବାପା ଦୁଇ ଜଣ। ଜଣେ କହୁଛି, ଭୁଲି ଯାଆନ୍ତୁ, ଆଉ ଜଣେ ଶୂନ୍ୟକୁ ଚାହିଁ କହୁଛନ୍ତି, "କେମିତି ଭୁଲିବି।" କାହାଣୀ ସେଇଠି ସରିଲା। ନନ୍ଦ ବାବା ଶେଷ ଥର ପାଇଁ ସୁକନ୍ୟାର ହାତରେ ହାତ ରଖି, "ଆସୁଛି" କହି ରିକ୍ତ ହସ୍ତରେ ଫେରିଲେ। ପଛରୁ ସୁକନ୍ୟାର ବାବା ବାବା ଶବ୍ଦ ବିଦ୍ୟାଳୟ ପରିସରରେ ପ୍ରତିଧ୍ୱନିତ ହେଉଛି। ପ୍ରତିଧ୍ୱନି ବି କହୁଛି, ଭୁଲିବା ବ୍ୟାପାର ନୁହେଁ ସ୍ନେହ ମମତାର।

Join the Discussion